ପାଣିକୁ ଉଦକ କାହିଁକି କୁହାଯାଏ ?

•ଜଳ, ପାଣି, ନୀର ଏପରି ବେଦରେ ପାଣିର ଶହେଟି ନାମ ବର୍ଣନା କରାଯାଇଛି। ତନ୍ମଧ୍ୟରୁ ଉଦକ ହେଉଛି ଅନ୍ୟତମ । ହେଲେ ଏ ଉଦକ ଶବ୍ଦଟି ଆସିଲା କିପରି? ବୈଦିକ-ନିରୁକ୍ତକାର ୟାସ୍କ କହନ୍ତି – “ଉନତ୍ତୀତି ସତଃ” – ଉନତ୍ତି ମାନେ ଓଦା କରିବା। ଉନ୍ଦୀ କ୍ଳେଦନେ ଧାତୁରୁ ଉନତ୍ତି ରୂପ ହୋଇଛି । ପାଣି ଯେଉଠି ଯେ ସ୍ଥାନକୁ ଯାଏ ସେ ସ୍ଥାନ ବା ବସ୍ତୁ-ପଦାର୍ଥକୁ ଓଦା କରିଦିଏ । ବସ୍ତୁ-ପଦାର୍ଥମାନଙ୍କୁ ଓଦା କରିଦେଉଥିବାରୁ ତାହାର ଉନତ୍ତୀତି ସତଃ ନିର୍ବଚନ ହୋଇ ଉଦକ ନାମଟି ଜଳ ବା ପାଣି ଅର୍ଥରେ ସ୍ୱୀକାର କରାଯାଇଛି।

• ସମସ୍ତେ ଜାଣନ୍ତି ଏହି ଜଳ ସାଧାରଣତଃ ନଦୀମାନଙ୍କରେ ପ୍ରବାହିତ ହେଉଥାଏ। ନାମାନ୍ୟୁତ୍ତରାଣି ସପ୍ତତ୍ରିଂଶତ୍। ଅର୍ଥାତ୍ ବେଦରେ ନଦୀର ସଇଁତିରିଶଟି ନାମର ବର୍ଣନା ଦେଖିବାକୁ ମିଳେ । ତେବେ ମନରେ ପ୍ରଶ୍ନ ଉଠେ ଏହି ଜଳ ପ୍ରବାହମାନ ସ୍ଥାନକୁ ନଦୀ କାହିଁକି କୁହାଯାଏ, ଏହି ନଦୀ ନାମଟି ଆସିଲା କିପରି ? ଏପ୍ରସଙ୍ଗରେ ବୈଦିକନିରୁକ୍ତ କହେ – “ନଦମା ଇମା ଭବନ୍ତି ଶବ୍ଦବତ୍ୟଃ” – ଏହା ପ୍ରବାହ ସମୟରେ ଶବ୍ଦ କରିଥାଏ। ଶବ୍ଦ କରୁଥିବାରୁ ଏହାର ନାମ ନଦୀ ହେଲା।

•ମନ୍ତ୍ରରେ ନଦୀମାନଙ୍କର ଗୌଣ ଭାବରେ, ଅନ୍ୟ ଦେବତାମାନଙ୍କ ସହିତ ବର୍ଣନା ଦେଖାଯାଏ, କିନ୍ତୁ ମୁଖ୍ୟରୂପରେ ବହୁତ କମ୍ ବର୍ଣନା ମିଳେ। ଇତିହାସରେ ଏପରି ବର୍ଣନା ମିଳେ – ବିଶ୍ୱାମିତ୍ରର ଅର୍ଥ ସର୍ବମିତ୍ର,(ସର୍ବଂ କସ୍ମାତ୍ ? ସର୍ବଂ ସଂସୃତମ୍-ସୃ ଗତୌ) ଯିଏ ସବୁ ଆଡେ ଯାଇଥାଏ, ଏପରି ଅର୍ଥକୁ ନେଇ ସର୍ବ ଶବ୍ଦ ଆସେ। ବିଶ୍ୱାମିତ୍ର ନଦୀ ମାନଙ୍କର ଏପରି ସ୍ତୁତି କରନ୍ତି – ହେ ନଦୀ !  ତୁମେ କମ ପାଣି ବାଲା ହୋଇଯାଅ ।

“ରମଧ୍ୱ ମେ ବଚତେ ସୋମ୍ୟାୟ ଋତାବରୀରୁପ ମୁହୂର୍ତ୍ତମେବୈଃ।
    ପ୍ର ସିନ୍ଧୁମଚ୍ଛା ବୃହତୋମନୀଷାବସ୍ୟୁରହ୍ୱେ କୁଶିକସ୍ୟ ସୂନୁଃ।।”

•ଋତାବରୀଃ – ହେ ଅଧିକ ଜଳଯୁକ୍ତ ନଦୀ, ମୁହୂର୍ତ୍ତମ୍ – ଅଳ୍ପ ସମୟ ପାଇଁ, ମେ ସୋମ୍ୟାୟ ବଚସେ – ମୋର ଶାନ୍ତିପୂର୍ଣ ବଚନ ଶୁଣିବା ପାଇଁ, ଏବୈଃ ଉପରମଧ୍ୱମ୍ – ତୁମର ପାଣିକୁ କମ୍ କରି ରହିଯାଅ। ଏବୈଃ(ଅବନୈଃ,ଅୟନୈଃ) – ଅର୍ଥାତ୍ ମୋର ସୁରକ୍ଷା ପାଇଁ ତୁମେ ସେଠାରେ ରହିଯାଅ। କୁଶିକସ୍ୟ ସୂନୁଃ – ମୁଁ କୁଶିକ ନନ୍ଦନ ବିଶ୍ୱାମିତ୍ର, ଅବସ୍ୟୁଃ – ନଦୀ ପାର ହେବାକୁ ଇଚ୍ଛା କରି ଏଠାରେ ନଦୀକୁ ନିବେଦନ କରୁଛି। ଋତମ୍ ଇତି ଉଦକ ନାମ – ଋତଂ ଜଳ ବାଚକ ଅଟେ, ପ୍ରତ୍ୟୃତଂ ଭବତି – ସବୁ ଆଡେ ବ୍ୟାପି ରହିଥାଏ, ସୁଲଭ ଅଟେ। ମୁହୂର୍ତ୍ତଃ ମୁହୁର୍ଋତୁଃ – ବହୁତ କମ ସମୟ। ଋତୁ ଅର୍ତେଃ ଗତିକର୍ମଣଃ – ଗତ୍ୟର୍ଥକ ଋ ଧାତୁରୁ ଋତୁ ଶବ୍ଦ ଆସିଛି। ମୁହୁଃ ମୂଢ ଇବ କାଳଃ – ମୁହୁ ର ଅର୍ଥ ଖୂବ କମ ସମୟ, ଯାହା ଜଣା ବି ପଡେନାହିଁ। ଏହି ପରି ମୁହୁଃ+ଋତୁଃ ସଂଯୋଗରେ ଅତ୍ୟଳ୍ପ କାଳ ଅର୍ଥରେ ମୁହୂର୍ତ୍ତ ଶବ୍ଦର ପ୍ରୟୋଗ। ମୁହୂର୍ତ୍ତ ଓ ଅଭୀକ୍ଷ୍ଣ ସମାନାର୍ଥକ ଅଟନ୍ତି। ଅଭୀକ୍ଷ୍ଣଂ- ଅଭିକ୍ଷଣଂ ଭବତି – କ୍ଷଣ ମାତ୍ର କାଳ। କ୍ଷଣଃ କ୍ଷଣୋତେଃ – ହିଂସାର୍ଥକ କ୍ଷଣୁ ଧାତୁ, ପ୍ରକ୍ଷ୍ଣୁତଃ କାଳଃ – ଅର୍ଥାତ୍ ହିଂସିତ କାଳ ବହୁତ କମ୍ ସମୟ। କାଳଃ କଳୟତେଃ ଇତି କର୍ମଣଃ – ଏହି କାଳ ସବୁ ପ୍ରାଣିମାନଙ୍କର ବିନାଶ କରିଥାଏ, ତେଣୁ ଗତ୍ୟର୍ଥକ କାଳ ଧାତୁରୁ କାଳୟତି ଏପରି ନିର୍ବଚନ ଯୋଗରେ କାଳ ଶବ୍ଦର ଉତ୍ପତ୍ତି ହୋଇଛି। କୁଶିକଃ କ୍ରୋଶତେଃ ଶବ୍ଦକର୍ମଣଃ – କୁଶିକ(ବିଦ୍ୱାନ୍) ସବୁବେଳେ ଉଚ୍ଚ ସ୍ୱରରେ ଉପଦେଶ କରିଥାଏ କି ଭଲ କାମ କର, ଶବ୍ଦାର୍ଥକ କ୍ରୁଶ୍ ଧାତୁରୁ କୁଶିକ ଶବ୍ଦ ଆସିଛି। କ୍ରଂଶତେର୍ବା ସ୍ୟାତ୍ ପ୍ରକାଶୟତି-କର୍ମଣଃ।(ଧର୍ମପ୍ରକାଶକ)

Leave a Comment